Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜଗତସିଂହପୁର ଐତିହ୍ୟ ପଦଯାତ୍ରା: ଇତିହାସର ପୃଷ୍ଠଭୂମିରେ ଅଭୁଲା ଅତୀତର ସ୍ମୃତି ରୋମନ୍ଥନ 1

ତିର୍ତ୍ତୋଲ, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଐତିହ୍ୟ ପଦଯାତ୍ରା: ଇତିହାସର ପୃଷ୍ଠଭୂମିରେ ଅଭୁଲା ଅତୀତର ସ୍ମୃତି ରୋମନ୍ଥନତିର୍ତ୍ତୋଲ-୫/୫(ରିପୋର୍ଟ-ଟୁକନ ସେଠୀ)- "ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଚତୁର୍ଥ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ଗତକାଲି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତଅଁରା ଗ୍ରାମର ପର୍ଶୁରାମ କ୍ଷେତ୍ର ତିର୍ଥମଠ ଠାରେ ଏକତ୍ରିତ ହୋଇଥିଲେ। ଏହି ପୁରାତନ ମଠର ମାହାତ୍ମ୍ୟ ଓ ମଠ ପରିସରରେ ଥିବା ବହୁ ପ୍ରାଚୀନ କୀର୍ତ୍ତିରାଜୀ ଅବଲୋକନ ପରେ ଐତିହ୍ୟ ପଦଯାତ୍ରୀଗଣ ନିକଟରେ ଥିବା ଗରାମ ଗ୍ରାମର ଭଗବତୀ ମନ୍ଦିର ପରିସରରେ ଏକାଠି ହୋଇଥିଲେ। ଏହି ପୀଠ ଦ୍ବୟରେ ଭୌମକର ଓ ସୋମ ବଂଶୀ ଶାସନ କାଳୀନ ପ୍ରାଚୀନ ଭାସ୍କର୍ଯ୍ୟମାନ ଦେଖିବାକୁ ମିଳିଥିଲା।
Article Image
ତୁଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୂରର ଚମ୍ପାବର ଓ ଚତୁର୍ମୁଖ ବ୍ରହ୍ମାଙ୍କ ପ୍ରାଚୀନ ମୂର୍ତ୍ତି ମଧ୍ୟ ଦେଖିବାର ସୁଯୋଗ ମିଳିଥିଲା। ଏହି ସବୁ ଧାର୍ମିକ ତଥା ଐତିହାସିକ ଆଦର୍ଶ ବହନ କରୁଥିବା ପୀଠ ଦର୍ଶନ ପରେ ସମସ୍ତ ପଦଯାତ୍ରୀ ଛତାମଠ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ ଉପରାନ୍ତେ ଯାତ୍ରା ସଙ୍ଗ କରିଥିଲେ।ଐତିହ୍ୟପ୍ରେମୀମାନେ ତୀର୍ଥମଠରେ ପହଞ୍ଚିବା ପରେ ମଠର ମହାରାଜ ଶ୍ରୀ ଦିବ୍ୟକୃଷ୍ଣ ଦେବଙ୍କ ପୌରହିତ୍ୟରେ ମଠର ଐତିହ୍ୟ ଓ ପରମ୍ପରା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା। ଏହି ସଭାରେ ଐତିହ୍ୟ ଗବେଷକ ଶ୍ରୀକାନ୍ତ ସିଂହ ଓ ବିଶିଷ୍ଟ ଆଇନଜୀବୀ ସୁଧୀରକାନ୍ତ ଖୁଣ୍ଟିଆ ପର୍ଶୁରାମ କ୍ଷେତ୍ର ତୀର୍ଥମଠ ଓ ସ୍ଥାନୀୟ ଅଞ୍ଚଳର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେଠାରେ ଥିବା ପ୍ରାଚୀନ ଓ ବିରଳ ପର୍ଶୁରାମ ମୂର୍ତ୍ତି ଓ ସଂଗ୍ରହାଳୟରେ ଥିବା ପ୍ରାଚୀନ ଅଷ୍ଟଭୁଜା ଦୁର୍ଗା, ଗୋପୀନାଥ, ଅନନ୍ତଶୟନ ବିଷ୍ଣୁ, ଚାମୁଣ୍ଡା ଓ ଅନ୍ଧକାସୁର ବଦ୍ଧ ମୁର୍ତ୍ତି ଗୁଡ଼ିକୁ ପରିଦର୍ଶନ କରିଥିଲେ । ଦୁଃଖ ଓ ପରିତାପର ବିଷୟ ହେଲା, ସଂଗ୍ରହାଳୟରେ ଥିବା ମୂର୍ତ୍ତି ଗୁଡ଼ିକ ଖୁବ୍ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ରକ୍ଷଣା ବେକ୍ଷଣର ଘୋର ଅଭାବ ପରଦୃଷ୍ଟ ହୁଏ।ଗରାମ ସ୍ଥିତ ଭଗବତୀ ମନ୍ଦିରରେ ମାଆ ଭଗବତୀ ଓ ପଦ୍ମପାଣିବୁଦ୍ଧ ବା ନାଗା ଦେବତା ମୂର୍ତ୍ତିକୁ ପରିଦର୍ଶନ କରିଥିଲେ। ଏହାପରେ ମନ୍ଦିର ପୂଜକ ଶ୍ରୀ ମାୟାଧର ପଣ୍ଡା ମାଆ ଭଗବତୀ ମନ୍ଦିର ଓ ପଦ୍ମପାଣି ମୂର୍ତ୍ତିର ଐତିହ୍ୟ ବିଷୟରେ ସମସ୍ତଙ୍କୁ ବୁଝାଇ କହିଥିଲେ। ଏଠାରେ ସ୍ଥାନୀୟ ଯୁବକ ଶୁଭମ୍ ସାହୁ, ରଞ୍ଜିତ ସାହୁ, ସତ୍ୟବ୍ରତ ସାହୁ ଏବଂ ତୁଷାର କାନ୍ତ ସାହୁ ଦହି ପାଣି ବଣ୍ଟନ କରି ଐତିହ୍ୟ ଯାତ୍ରୀଙ୍କୁ ଆପ୍ୟାୟିତ କରିଥିଲେ। ସ୍ଥାନୀୟ ନିବାସୀ ପ୍ରଭାଂଶୁ ସାମନ୍ତରାୟ, ହେମନ୍ତ ନାୟକ ଓ ବସନ୍ତ ନାୟକଙ୍କ ତତ୍ତ୍ଵାବଧାନରେ ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଚତୁର୍ଥ ସଂସ୍କରଣ ସଫଳ ରୂପେ ସମାପ୍ତ ହେଇ ଥିଲା।