Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 09/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳିଠୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ କାଟ; ଆନ୍ଦୋଳନ ପାଇଁ ଉପଭୋକ୍ତା ସଂଘର ସଜବାଜ, ଲୋ ଭୋଟେଜ ସମସ୍ୟରେ ହନ୍ତସନ୍ତ ଲୋକେ

କାକଟପୁର ତା ୯/୫, ( ତୁଷାର ଦୀକ୍ଷିତ ) ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିରୁ ପୁରୀଜିଲ୍ଲା କାକଟପୁର ମଧ୍ୟ ବାଦ୍ ପଡ଼ିନଥିବା ବେଳେ ଅତି ଆବଶ୍ୟକ ନଥିଲେ ଦିନ ୯ଟା ପରେ ଘରୁ କେହି ବାହାରକୁ ବାହାରୁ ନାହାନ୍ତି। ଏଭଳି ସ୍ଥିତିରେ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳିଠାରୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ୍କାଟ। ନିର୍ଦ୍ଦିଷ୍ଟ ଭାବେ ଗ୍ରୀଷ୍ମ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ନେଇ ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମରେ ତଥ୍ୟ ରଖିବା ପରଠାରୁ ମରାମତି ଆଳରେ ଦୈନିକ ୮ରୁ ୧୦ଘଣ୍ଟା ଅଘୋଷିତ ବିଦ୍ୟୁତ୍କାଟ କାକଟପୁର ଉପଭୋକ୍ତାଙ୍କୁ ପରୋକ୍ଷରେ ଆନ୍ଦୋଳନ ପାଇଁ ବାଧ୍ୟ କରୁଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଆକାଶରେ କଳା ବାଦଲ ଢାଙ୍କିଲେ, ଗଛପତ୍ର ହଲିଲେ, ସାମାନ୍ୟ ବର୍ଷା ହେଲେ ବିଦ୍ୟୁତକାଟ୍ ହେବା କାକଟପୁରର କିଛି ନୂଆକଥା ନୁହେଁ। କେବଳ ସେତିକିନୁହେଁ, ମରାମତି ଆଳରେ ଦିନବେଳା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ଯେତିକି ନିରାଶ କରିଛି ସନ୍ଧ୍ୟାହେବା ମାତ୍ରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ ଅଞ୍ଚଳବାସୀଙ୍କୁ ସେତିକି ଯନ୍ତ୍ରଣା ଦେଉଛି।ଏତଦ୍ବ୍ୟତୀତ ମଧ୍ୟରାତ୍ରିରୁ ଭୋର ୫ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍ କାଟ ଗ୍ରୀଷ୍ମଋତୁରେ କାକଟପୁର ବାସୀଙ୍କ ଉଷ୍ମତାକୁ ଦ୍ୱିଗୁଣିତ କରିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ କରିଛି । ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ବିଶେଷକରି ପାନୀୟଜଳ ଯୋଗାଣ ଓ ଚିକିତ୍ସା ସେବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଧିକାଂଶ ଦିନରେ ବାଧାପ୍ରାପ୍ତ ହେବା ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ପରୋକ୍ଷରେ କାକଟପୁର ବାସୀଙ୍କ ଉପରେ ଦାଉ ସାଧୁଥିବା ନେଇ ଉପଭୋକ୍ତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବିଦ୍ୟୁତ ସେବାରୁ ବଞ୍ଚିତ ବହୁ ହିତାଧିକାରୀ ବାଧ୍ୟ ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇ ଘରମାନଙ୍କରେ ଇଭର୍ଟର ଲଗାଉଥିବା ଜଣାପଡିଛି । ଗ୍ରୀଷ୍ମଋତୁରେ ସାଧାରଣ ଲୋକେ ଗ୍ରୀଷ୍ମପ୍ରବାହରୁ କିଭଳି ମୁକ୍ତି ପାଇବେ ସେନେଇ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଗୁରୁତ୍ୱ ଦେଇ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକ ସେବା ଯୋଗାଇ ଦିଆନଗଲେ ଏହା ପ୍ରତିବାଦରେ ଆଗାମୀ ଦିନରେ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ ବାଧ୍ୟ ହୋଇ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଉପଭୋକ୍ତା ମାନେ ଚେତାବନୀ ଦେଇଛନ୍ତି।