Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପୁରୀ , 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ।। ଶ୍ରୀମନ୍ଦିରରେ ରଥ ନିର୍ମାଣର ଅନୁକୂଳ ।।
ଆଜି ପବିତ୍ର ବୈଶାଖ ଶୁକ୍ଲ ତୃତୀୟା ତଥା ଅକ୍ଷୟ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ପରମ୍ପରା କ୍ରମେ ରଥ ନିର୍ମାଣର ଅନୁକୂଳ ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ତିନୋଟି ଆଜ୍ଞାମାଳକୁ ତିନି ଜଣ ପୂଜାପଣ୍ଡା ସାମନ୍ତ ସ୍ୱହସ୍ତରେ ଧାରଣ କରି ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାନ୍ତି। ରଥଖଳାରେ ଥିବା ତିନୋଟି ଧଉରା କାଠ ଗଣ୍ଡିରେ ଲାଗି କରାନ୍ତି।ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯାଗ ପଦ୍ଧତିରେ ପୂଜା ସମ୍ପାଦନା କରିବାର ବିଧି ରହିଛି । ଏହା ସହ ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀ ବନ୍ଧା ନୀତି ପାଳିତ ହୁଏ ।ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ ।